ବନ୍ଦ କରନ୍ତୁ

ସାତକୋଶିଆ ଗଣ୍ଡ

ଆଦିମ ଜଙ୍ଗଲି ସ୍ୱଭାବର ପୂର୍ଣ୍ଡ ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ । ଏହା ଆଜି ମଧ୍ୟ ସଭ୍ୟତାର ମୋହଠାରୁ ବହୁ ଦୂରରେ ।ସମ୍ବର, ବାର୍କିଂ ହରିଣ, ଜଙ୍ଗଲି ବାରହା ଆଦି ଜୀବମାନଙ୍କର ବାସସ୍ଥାନ। ଏହି ଅଭୟାରଣ୍ୟରେ ଚିତା, ମହାବଳ ବାଘ ମଧ୍ୟ ପରିଦୃଷ୍ଟ ହୋଇଥାନ୍ତି । କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ (ସୁନାକଣି ଓ ରୂପାକଣି) ଇତ୍ୟାଦି ପକ୍ଷୀ ମାନଙ୍କର ମଧୁର କାକଳିରେ ପ୍ରକୃତିର ଶାନ୍ତି ଚହକି ଯାଇଥାଏ । ବିରଳ ବାଦୁଡି, କଇଁଛ, ଗୁଣ୍ଡୁଚି, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପର ସମ୍ଭାର ଏହି ସ୍ଥାନରେ ଦେଖିବାକୁ ମିଳେ । ପାହାଡର ଉପରି ଭାଗରେ ଶୀତଳପାଣି ଏକ ସ୍ଥାନ ରହିଛି ଯେଉଁଠାରେ ବର୍ଷତମାମ ବରଫପରି ଥଣ୍ଡାପାଣି ଉପଲବ୍ଧ । ମୂଲ୍ୟବାନ ପ୍ରଜାତିର ଶିଶୁକାଠ, ସାତକୋଶିଆ ଅଭୟାରଣ୍ୟରେ ରହିଛି । ଭବ୍ୟ ସାତକୋଶିଆ ଗଣ୍ଡ ଓ ବିଶାଳ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଛାମୁଣ୍ଡିଆ ନିକଟସ୍ଥ ବଡମୂଳଠାରେ ମହାନଦୀ ବନ୍ୟବିଭାଗ ତରଫରୁ ଏକ ସୁଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି ।

ବଡମୂଳଠାରୁ ୮ କି.ମି. ଦୁର କୁତୁରୀଠାରେ ପଶୁମାନଙ୍କ ପ୍ରକୃତିକ ପ୍ରଜନନ କେନ୍ଦ୍ର ରହିଛି । ଅଭୟାରଣ୍ୟର ଜୀବଜନ୍ତୁଙ୍କ ନିମନ୍ତେ ମହାନଦୀ ବନ୍ୟ ବିଭାଗଦ୍ୱାର ପାଣିଟାଙ୍କି, ସଲ୍ଟଲିକ୍ , ଖାଦ୍ୟଉପଯୋଗୀ ଘାସ ଏବଂ ବୃକ୍ଷ ବାଟିକା ନିର୍ମାଣ କରାଯାଇ ଏହି କେନ୍ଦ୍ରକୁ ଆସୁଥିବା ବନ୍ୟ ଜୀବଜନ୍ତୁ ମାନଙ୍କୁ ସମୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଏ । ରାତିରେ ଜୀବଜନ୍ତୁଙ୍କ ଗତିବିଧି ଓ ଚାଲିଚଳନ ଲକ୍ଷ କରିବାପାଇଁ ଯାତ୍ରୀମାନଙ୍କ ନିମନ୍ତେ ବୃକ୍ଷ ଉପରେ ମଞ୍ଚ ଓ କୁଟୀର ବ୍ୟବସ୍ଥା ମଧ୍ୟ ରହିଛି । ସାତକୋଶିଆ ଅଭୟାରଣ୍ୟ ନୟାଗଡର ମହାନଦୀ ସଂରକ୍ଷିତ ଜଙ୍ଗଲ ଏବଂ ବୌଦ୍ଧ ଜିଲ୍ଲାର ନନ୍ଦାଗଡୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଛି ।ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟସେବା ନିମନ୍ତେ ଏହାନିକଟରେ ଗଣିଆ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଏବଂ ନିକଟସ୍ଥ ବ୍ୟାଙ୍କ ହେଉଛି ଖଣ୍ଡପଡା ଷ୍ଟେଟ ବ୍ୟାଙ୍କ ।


ଜିଲ୍ଲା ମୂଖ୍ୟାଳୟ : ନୟାଗଡ
ରାଜ୍ୟ ରାଜଧାନୀ : ଭୂବନେଶ୍ୱର

ପ୍ରକୃଷ୍ଟ ବୁଲିବା ସମୟ :ବର୍ଷସାରା ଯେ କୌଣସି ସମୟରେ  ।

  • ସାତକୋଶିଆ ଛାମୁଣ୍ଡିଆ
  • ସାତକୋଶିଆ ଗଣ୍ଡ
  • ସାତକୋଶିଆରେ କୁମ୍ଭୀର
  • ସାତକୋଶିଆ
  • ସାତକୋଶିଆ ଛାମୁଣ୍ଡିଆ
  • ସାତକୋଶିଆ ଗଣ୍ଡ
  • ସାତକୋଶିଆରେ କୁମ୍ଭୀର
  • ସାତକୋଶିଆ ଦୃଶ୍ୟ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର :ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର,ଭୂବନେଶ୍ୱର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ : ନୟାଗଡ ଟାଉନ୍ ରେଳ ଷ୍ଟେସନ (୩ କି.ମି) ଓ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ(୬୯ କି.ମି)

ସଡ଼କ ପଥରେ

ସାତକୋଶିଆ ଗଣ୍ଡ ରାଜଧାନୀ ଭୂବନେଶ୍ୱରଠାରୁ ଆନୁମାନିକ ୧00 କି.ମି. ଏବଂ ଗଣିଆଠାରୁ ୩0 କିମି ଦୂରରେ ଅବସ୍ଥିତ।ଏଠାକୁ ଆସିବା ପାଇଁ ନିକଟସ୍ଥ ରେଲଓ୍ୱେ ହେଉଛି ନୟାଗଡ ରେଲଓ୍ୱ ଷ୍ଟେସନଏବଂ ବିଜୁପଟ୍ଟନାୟକ ବିମାନ ବନ୍ଦର,ଭୂବନେଶ୍ୱର ଏହା ନିକଟସ୍ଥ ବିମାନବନ୍ଦର । ଭୂବନେଶ୍ୱର - ଗଣିଆ ଦେଇ ଯାଇଥିବା ରାଜ୍ୟରାଜପଥରେ ପର୍ଯ୍ୟଟକମାନେ ଏହି ସ୍ଥାନରେ ପହଞ୍ଚିପାରିବେ ।