ବନ୍ଦ କରନ୍ତୁ

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର କାର୍ଯ୍ୟାବଳୀ

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗଟି ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ବିଭାଗ । ଏହି ବିଭାଗଟି ନୟାଗଡ଼ରେ ୧୯୯୪ମସିହାରୁ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟ କରି ଆସୁଅଛି । ଜିଲ୍ଲାରେ ଥିବା କାର୍ଯ୍ୟାଳୟର ମୁଖ୍ୟ ହେଉଛନ୍ତି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ । ଏତଦ୍ ବ୍ୟତୀତ ଏହି କାର୍ଯ୍ୟାଳୟରେ ଅନ୍ୟାନ୍ୟ କର୍ମଚାରୀମାନଙ୍କ ମଧ୍ୟରେ କନିଷ୍ଠ କିରାଣୀ – ୧, ଗ୍ରନ୍ଥାଗାରିକ – ୧, ଟାଇପିଷ୍ଟ-ତଥା-ଭଣ୍ଡାର ରକ୍ଷକ -୧, ସଂଚାଳକ – ୧, ଯାନଚାଳକ – ୧, ଚପରାଶି-୧, ରାତ୍ରଜଗୁଆଳ-୧ଜଣଙ୍କୁ ମିଶାଇ ମୋଟ ୮ଜଣ କାର୍ଯ୍ୟ କରୁଛନ୍ତି । ଏହି ବିଭାଗର ଦାୟିତ୍ୱ ହେଲା ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଯୋଜନା ଗୁଡ଼ିକ ବିଭିନ୍ନ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା। ମହାପୁରୁଷମାନଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନତା ଦିବସ,ଗଣତନ୍ତ୍ର ଦିବସ,ଓଡ଼ିଶା ଦିବସ, ଜାତୀୟ ପ୍ରେସ ଦିବସ ଆଦି ଦିବସ ଗୁଡ଼ିକ ପାଳନ କରିଥାନ୍ତି । ବିଭିନ୍ନ ସଭା ସମିତିରେ ଯୋଗଦାନ କରି ଗଣମାଧ୍ୟମକୁ ସମ୍ବାଦ ଯୋଗାଇଥାନ୍ତି । ଏଥି ସହିତ ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦାନ କରି ସମ୍ବାଦ ସଂଗ୍ରହ ଓ ପ୍ରଚାର ପ୍ରସାର କରିଥାନ୍ତି । ଜିଲ୍ଲାରେ ସମସ୍ତ ସମ୍ବାଦପତ୍ର ଗୁଡ଼ିରେ ପ୍ରକାଶିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଖଣ୍ଡ ଗୁଡ଼ିକୁ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥାନ୍ତି । ଏହି ବିଭାଗର ଏକ ସୂଚନା କେନ୍ଦ୍ର ତଥା ପାଠାଗାର ରହିଛି । ଯାହାକି ସନ୍ଧ୍ୟା ସକାଳେ ସର୍ବସାଧରଣଙ୍କ ପାଇଁ ଖୋଲାଯାଇଥାଏ । ଏହି ପାଠାଗାରରେ ଛାତ୍ରଛାତ୍ରୀ ତଥା ଜନସାଧାରଣ ବିଭିନ୍ନ ଖବର କାଗଜ ଏବଂ ପତ୍ରପତ୍ରିକା ପାଠ କରି ବିଭିନ୍ନ ଜ୍ଞାନ ଅର୍ଜନ କରିଥାନ୍ତି । ଏତଦ୍ ବ୍ୟତୀତ ପାଠାଗାରରେ ସଭ୍ୟପ୍ରାପ୍ତ ହୋଇ ପୁସ୍ତକ ଗୁଡ଼ିକ ପାଠ କରିବାର ସୁଯୋଗ ପାଇଥାନ୍ତି । ବିଭିନ୍ନ ଆଇନ ଶୃଙ୍ଖଳା, ବିର୍ପଯ୍ୟୟ ଓ ଦୈବଦୁର୍ବିପାକ ସମୟରେ ଲୋକମାନଙ୍କୁ ସତର୍କ ସୂଚନା ପ୍ରଦାନ କରିବା ପାଇଁ ଏହି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଓ ଓଡ଼ିଶା ରେଫରେନସ୍ ଆଦି ଉପାଦେୟ ପୁସ୍ତକ ଗୁଡ଼ିକ ଜନସାଧାରଣଙ୍କୁ ଏହି ବିଭାଗ ଯୋଗାଇ ଦେଇଥାଏ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ରଥଯାତ୍ରା, ଦଶହରା,ରାମନବମୀ,ଶିବରାତ୍ରୀ ଆଦି ପର୍ବପର୍ବାଣୀରେ ଏହି ବିଭାଗ ସୂଚନା କେନ୍ଦ୍ରମାନ ଖୋଲିବା ସହିତ ଫଟୋ ପ୍ରଦର୍ଶନୀ ମଧ୍ୟ କରାଇଥାଏ । ପାଲା , ଦାଶକାଠିଆ ଆଦି ବିଭିନ୍ନ ଆର୍ଟ ଫର୍ମରେ କଳାକାରଙ୍କ ଦ୍ୱାରା ସରକାରଙ୍କର ଜନହିତକାରୀ ଯୋଜନାଗୁଡ଼ିକ ପ୍ରଚାର ପ୍ରସାର କରାଇଥାଏ । ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସାମ୍ବାଦିକମାନଙ୍କ ସହିତ ସୁସଂପର୍କ ରଖିବା ସହିତ ବିଭିନ୍ନ ସମୟରେ ସେମାନଙ୍କର ବିଭିନ୍ନ ସୁବିଧା ଯଥା ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାର ବ୍ୟବସ୍ଥା, ଚିକିତ୍ସା ଓ ଆପଦକାଳୀନ ସହାୟତା ଯୋଗାଇ ଦେବାରେ ସହଯୋଗ କରିଥାନ୍ତି । ପୁନଶ୍ଚ ଏହି ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନାର ସଫଳ କାହାଣୀ ଉତ୍କଳ ପ୍ରସଙ୍ଗରେ ପ୍ରକାଶନ କରିବା ପାଇଁ ପଠାଯାଇଥାଏ । ଏହି ବିଭାଗ ଦ୍ୱାରା ରାଜ୍ୟରୁ ଆସି ପ୍ରାମାଣିକ ଚଳଚିତ୍ର ବିଭିନ୍ନ ଯୋଜନା ଉପରେ ସଂପାଦନ କରିଥାନ୍ତି ।