ଇତିହାସ

ଦକ୍ଷିଣ କାଳି ମନ୍ଦିର
ନୟାଗଡର ଇତିହାସରୁ ଜଣାଯାଏ ଯେ ଏହି ଜିଲ୍ଲା ବାଘେଲା ସାମ୍ରାଜ୍ୟର ରାଜା ସୂର୍ଯ୍ୟମଣୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା, ଯେ କି ମଧ୍ୟପ୍ରଦେଶର ରେଓ୍ୱାରୁ ପୁରୀକୁ ତୀର୍ଥ ଭ୍ରମଣରେ ଆସିଥିଲେ । ସେ ଏଠାରେ ତାଙ୍କର ଦୁର୍ଗ ନିର୍ମାଣ କରି “ବାଘମୁଣ୍ଡ” କୁ ରାଜ୍ୟର ପ୍ରତୀକ ଭାବେ ଗ୍ରହଣ କରିଥିଲେ । ବାଘେଲା ସାମ୍ରାଜ୍ୟର ଏହି ୯ମ ରାଜା ବାଘେଲ ସିଂହ ( ୧୪୮୦-୧୫୧୦) ଜିଲ୍ଲାକୁ ତାଙ୍କର ରାଜଧାନୀ ସ୍ଥାନାନ୍ତରୀତ କରିଥିଲେ । ତେଣୁ ତାଙ୍କରି ନାମ ଅନୁସାରେ ଏହି ସ୍ଥାନ “ ବାଘୁଆ ନୟାଗଡ” ଭାବେ ନାମିତ ହୋଇଥିଲା । ସେ ଜଣେ ବୈଷ୍ଣବବାଦୀ ଥିଲେ ଓ ଶ୍ରୀ ବିଗ୍ରହ ଚତୁର୍ଦ୍ଧାମୁର୍ତ୍ତି ବଳରାମ ପହାଡର ପାଦଦେଶରେ ପ୍ରତିଷ୍ଠାକରି ମଣ୍ଡପିତ କରିଥିଲେ ।

ନୀଳମାଧବ ମନ୍ଦିର କଣ୍ଟିଲୋ
ନୟାଗଡର ଦ୍ୱାଦଶ ରାଜା ରଘୁନାଥ ସିଂହ (୧୫୬୫/୧୫୯୫), ସେତେବେଳକୁ ସାରା ଓଡିଶାକୁ କାବୁ କରିନେଇଥିଲେ ଓ ରାଜା ମୁକୁନ୍ଦଦେବେ ଗୋହିରିଟିକିରା ଯୁଦ୍ଧରେ ପରାସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ଓଡିଶାର ଏପରି ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ ରଘୁନାଥ ସିଂ ରଣପୁର ଆକ୍ରମଣ କରି ଓଡଗାଁ, ଶରଣକୁଳ ଓ ବାଉଁଶିଆପଡା ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ନୟାଗଡକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ଏବଂ ଦଶପଲ୍ଲାର ସୀମା ଅଞ୍ଚଳ କୁ ବୌଦ୍ଧ ରାଜଙ୍କଠାରୁ, ଓ଼ଡଗାଁର ସୁନାମୁହିଁ ଅଞ୍ଚଳକୁ ଘୁମୁସର ରାଜାଙ୍କଠାରୁ ଓ ବାଣପୁର ର କିଛି ଅଂଶ ମଧ୍ୟ ସେ ନିଜ ଅଧିନକୁ ଆଣିଥିଲେ ।
ନିଜର ମୃତ୍ୟୁ ପୂର୍ବରୁ ରାଜା ରଘୁନାଥ ସିଂହ ତାଙ୍କର ସମସ୍ତ ଭୁସମ୍ପତ୍ତି କୁ ତାଙ୍କର ୩ ପୁତ୍ରଙ୍କ ଭିତରରେ ବାଣ୍ଟି ନେଇଥିଲେ, ପୁତ୍ର ହରିହର ସିଂହ କୁ ନୟାଗଡ, ଯଦୁନାଥ ସିଂହକୁ ଖଣ୍ଡଗ୍ରାମ ( ପରେ ଖଣ୍ଡପଡା ଭାବେ ନାମିତ) ବଣ୍ଟନ କରିଥିଲେ । ଏହା ପରେ ସେମାନଙ୍କ ଉତ୍ତରାଧୀକାରୀ ମାନେ ନୟାଗଡର ଶାସନଭାର ଇଂରେଜ ସରକାରଙ୍କ ଶାସନ ପର୍ଯ୍ୟନ୍ତ ଚଳାଇଥିଲେ ।

ରଘୁନାଥ ମନ୍ଦିର ଓଡଗାଁ
ନୟାଗଡ ଜିଲ୍ଲା ବହୁ ଐତିହାସିକ ମନ୍ଦିର ଦ୍ୱାରା ବ୍ୟାପ୍ତ । ଏଥି ମଧ୍ୟରୁ ଦକ୍ଷୀଣକାଳୀ ମନ୍ଦିର, ନୀଳମାଧବ ମନ୍ଦିର, ଲଡୁବାବା ମନ୍ଦିର, ରଘୁନାଥ ଜିଉ ମନ୍ଦିର ଓ ଦ୍ୱିତୀକେଶ୍ୱର ମନ୍ଦିର ପ୍ରସିଦ୍ଧ ଅଟେ ।